ଚନ୍ଦ୍ରସେଣା

ଚାଲ ଗାଁକୁ ଯିବା

“କି ଗୁଣ ଗାଇବି ଖଜୁରୀ ଗଛର ଲୋ ସଜନୀ, ସେ ତ ମୂଳରୁ ପାହାଚ ପାହାଚ।”

ଚମକି ପଡ଼ି ଅରବିନ୍ଦ ପଛକୁ ବୁଲି ଚାହିଁଲେ । ଆରେ …ଏ ତ ସେଇ ସ୍ଵର ! ଅର୍ଜୁନିର ସେଇ ସ୍ଵର କ’ଣ ଭୁଲିହୁଏ ଯେ ଭୁଲି ହେଇଥାଆନ୍ତା । ସେଇ ମୂର୍ଚ୍ଛନାରେ ଅରବିନ୍ଦ କେତେ ଅନ୍ୟମନସ୍କ ହେଇ ଉଠୁଥିଲେ । ଏବେବି ସେ ସ୍ଵର ମୂର୍ଚ୍ଛନା ତାଙ୍କୁ ଆନମନା କରିଦେଲା ।

ତରୁଣ ବୟସର ସେଇ ସ୍ମୃତି ବିଜଡ଼ିତ ଗାଁ ଆଉ ତାଙ୍କର ପ୍ରିୟ ଗାଁ-ଯାତ୍ରାଦଳ । ସେହି ଯାତ୍ରାଦଳର ଆକର୍ଷଣ ଥିଲା ଅର୍ଜୁନି । ଅରବିନ୍ଦଙ୍କ ଦାଦା ଯାତ୍ରା ଦଳଟି ଗଢ଼ିଥିଲେ । ଅଭିନୟ ପ୍ରତି ତାଙ୍କର ଖାଲି ପାଗଳପଣ ନଥିଲା, ବରଂ ଏୟା କହିଲେ ବେଶୀ ଠିକ୍ ଲାଗିବ ଯେ ଦାଦା ବଞ୍ଚୁଥିଲେ ତ କେବଳ ଅଭିନୟ ପାଇଁ । ତାଙ୍କର ସେଇ କଳାପ୍ରୀତି ଯୋଗୁଁ ଘରେ ସେ ବାପା, ଜେଜେବାପାଙ୍କର ଅପ୍ରିୟ ସିନା, ସାରା ଗାଁ କାହିଁକି, ଆଖପାଖ ଆଉ କେତେଖଣ୍ଡ ଗାଁରେ ବି ଦାଦା ସଭିଙ୍କର ପ୍ରିୟ ଥିଲେ । ଗାଁ ପିଲାଙ୍କୁ ନେଇ ଗଢ଼ିଥିଲେ ସେ  ଯାତ୍ରାଦଳଟି । ଅର୍ଜୁନି ସେ ଯାତ୍ରାଦଳର ପ୍ରତିବିମ୍ବ ଥିଲା ।….